Pages

Sunday, November 22, 2020

ଘନଚେତନାର ଏଇ ଅମାର ଭିତରେ କ'ଣ କିଛି ଅଭାବ ଥିଲା

କେହିବି ଏଠି କଲେଜରେ ଦର୍ଶନ ପଢିନାହାନ୍ତି କିନ୍ତୁ ଜୀବନକୁ ବୁଝିବାକୁହେଲେ ଦର୍ଶନ ସହ ପରିଚୟ ଜରୁରୀ । ହେରାକ୍ଲିଟସ୍‌ଙ୍କଠାରୁ ଆରମ୍ଭ କରାଯାଉ। ସେ କହିଲେ ଯେ ତୁମେ ଗୋଟିଏ ନଦୀଭିତରେ ଦୁଇଥର ପ୍ରବେଶ କରିପାରିବ ନାହିଁ। ପାଣି ବୋହିଯାଇ ନୂଆ ପାଣି ଆସିଯାଇଥିବ ତେଣୁ ତାକୁ ସେଇ ନଈ ବୋଲି କହିହେବନି। ଶିଖିବା କଥା ହେଲା ସମୟର ନଈ ବହି ଚାଲିଛି।

ରୋଲାଣ୍ଡ ବର୍ଥଙ୍କର ରଚନାକର୍ତ୍ତାଙ୍କ ମୃତ୍ୟୁ ଏକ ପ୍ରସିଦ୍ଧ ପୁସ୍ତକ । ଲେଖା ସରିଲାପରେ ଲେଖକଙ୍କ ବିଶେଷକିଛି ଭୂମିକାନାହିଁ ବୋଲି ତାଙ୍କମତ କାରଣ ପାଠକମାନେହିଁ ବିଭିନ୍ନ ପ୍ରକାରର ଅର୍ଥ ନିରୁପଣକରନ୍ତି ତଥା ଅଲଗା ଅଲଗା ଶିକ୍ଷା ବା ପ୍ରେରଣା ଗ୍ରହଣକରନ୍ତି । ତେଣୁ କୌଣସିଲେଖାର ଗୋଟିଏ ନିର୍ଦ୍ଦିଷ୍ଟଅର୍ଥ ନିର୍ଦ୍ଧାରଣ କରାଯାଇପାରିବ ନାହିଁ

ହେଗେଲ୍ ଙ୍କୁ ନେଇ ତ ବିଭିନ୍ନ ପ୍ରକାରର ମତବାଦ କିନ୍ତୁ ନିକଟରେ ଭକ୍ତି ମାଧବ ପୁରି ଙ୍କ ଲିଖିତ ପୁସ୍ତକ ଆଇଡଲସ୍ ଅଫ ଦ ମାଇଣ୍ଡ ବିଜ୍ଞାନ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛି। କେତେଦୂର ତାଙ୍କ ଯୁକ୍ତିସବୁ ଗ୍ରହଣୀୟ ତା ଅବଶ୍ୟ ପ୍ରତ୍ୟେକ ପାଠକର ଦୃଷ୍ଟିକୋଣ ଉପରେ ନିର୍ଭର କରିବ କିନ୍ତୁ ଏକ ବିକଳ୍ପ ଚିନ୍ତାଧାରା ଭାବରେ ବହିଟି ସ୍ୱାଗତଯୋଗ୍ୟ ।

ହଁ, ଯେତେବେଳେ ହେଗେଲ୍ ଙ୍କ କଥା ପଡ଼ିଛି, ଆକାଶ ସିଂହ ରାଠୋର ଓ ରିମିନା ମହାପାତ୍ରଙ୍କ ଲିଖିତ ପୁସ୍ତକ ହେଗେଲ୍ସ ଇଣ୍ଡିଆ ବିଶେଷ ମହତ୍ତ୍ୱପୂର୍ଣ୍ଣ। ହେଗେଲଙ୍କ ଦର୍ଶନ ପଛରେ ଭାରତର ଅନୁପ୍ରେରଣା ଥାଇପାରେ ବୋଲି ଇଙ୍ଗିତକୁ ଏ ପର୍ଯ୍ୟନ୍ତ ଯଥାର୍ଥ ଆତିଥ୍ୟ ମିଳିନାହିଁ । ତେଣୁ ଦର୍ଶନ ଶାସ୍ତ୍ରରେ ମଧ୍ୟ ଉପଯୁକ୍ତ ବୈଶ୍ୱୀକରଣର ଆବଶ୍ୟକତା ରହିଛି।

ମାର୍କ୍ସଙ୍କ ଯୋଗୁ ହେଗେଲ୍ ଙ୍କୁ ତ ପ୍ରାୟ ସମସ୍ତେ ଜାଣିଥିଲେ କିନ୍ତୁ ତାଙ୍କ ସାଙ୍ଗ ତଥା ପ୍ରେରକ ଶେଲିଙ୍ଗ୍ ଙ୍କୁ ଅନେକେ ଭୁଲିଯାଇଥିଲେ । ବିଶ୍ଵବିଦ୍ୟାଳୟର ଚାରିକାଛ ଭିତରୁ ଦର୍ଶନଶାସ୍ତକୁ ବାହାରକୁ ଆଣିବାରେ କେନ୍ ୱିଲ୍‌ବର ଙ୍କ ଅବଦାନ ଅତୁଳନୀୟ । ପ୍ରାଚ୍ୟ ଓ ପାଶ୍ଚାତ୍ୟର ଏକ ସଫଳ ସାକ୍ଷାତକାର ମଧ୍ୟ ତାଙ୍କ ମଧ୍ୟସ୍ଥତାରେ ସମ୍ଭବ ହେଲା।

ଷେଲିଂ ତାଙ୍କ ପରିଣତ ବୟସରେ ବର୍ଲିନ୍‌ରେ ଯେଉଁ ବକ୍ତୃତାମାଳା ପ୍ରଦାନ କରିଥିଲେ ଚିନ୍ତାଧାରାର ଇତିହାସରେ ତାର ଏକ ବିଶେଷ ମହତ୍ତ୍ଵ ରହିଛି କାରଣ ତତ୍କାଳୀନ ବହୁ ଦାର୍ଶନିକ ଯୋଗ ଦେଇଥିଲେ । କିକେଗଃ ମଧ୍ୟ ତାଙ୍କୁ ଏକ ସମାବଲମ୍ବୀ ଭାବରେ ବିବେଚନା କରିଥିଲେ । ଏହା ବ୍ୟତୀତ, ୱାଗନରଙ୍କ ଜରିଆରେ ନୀତ୍ସଃ ବି ପ୍ରଭାବିତ ହୋଇଥିବା ବେଶ୍ ଜଣାଶୁଣା।

ଗୋପବନ୍ଧୁ ଓ ନବକୃଷ୍ଣଙ୍କ ଭଣଜା ଜୀତେନ୍ଦ୍ରନାଥ ମହାନ୍ତି ସାରା ପୃଥିବୀରେ ଜଣେ ବିଖ୍ୟାତ ଦାର୍ଶନିକ ଭାବରେ ସ୍ୱୀକୃତି ପାଇଲେ, ଅଥଚ ଓଡ଼ିଶାରେ ତାଙ୍କ ନାଁ ମଧ୍ୟ କେହି ଜାଣିବାକୁ ସମର୍ଥ ହେଲେ ନାହିଁ। ଏତେ ବଡ ପ୍ରଚଣ୍ଡ ପ୍ରତିଭାର ଅଧିକାରି ଶ୍ରୀ ମହାନ୍ତି ତାଙ୍କ ଆତ୍ମଜୀବନିରେ ଅନେକ କିଛି ତଥ୍ୟ ଦେଇଛନ୍ତି ଯାହା ନିଶ୍ଚୟ ଅନୁପ୍ରାଣିତ କରିବ।

ସମାଜବାଦ ଭୁଷୁଡି ପଡିଲା ବୋଲି ସମସ୍ତେ ଯେତେବେଳେ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ, କିଶନ୍ ପଟ୍ଟନାୟକ ତୃତୀୟ ବିକଳ୍ପ ଅଛି ବୋଲି ଦମ୍ଭର ସହିତ ବିକଳ୍ପହୀନ ନୁହେଁ ଏ ଦୁନିଆଁ ନାମରେ ବହିଟିଏ ଲେଖିଥିଲେ । ରାଷ୍ଟ୍ରୀୟ ସ୍ତରରେ ୟୋଗେନ୍ଦ୍ର ୟାଦବ @_YogendraYadav ତାଙ୍କୁ ରାଜନୈତିକ ଗୁରୁ ହିସାବରେ ପ୍ରାୟ ମନେ ପକାନ୍ତି। ଓଡ଼ିଶାର ଗର୍ବ।

ଶିକ୍ଷା, ସଂସ୍କୃତି, ସମାଜ, ବିକାଶ, ଓ ଯାନ୍ତ୍ରୀକତା ଇତ୍ୟାଦି ସମ୍ବନ୍ଧରେ ଗଭୀର ଅନୁଶୀଳନ ପୂର୍ବକ ଅନେକ ଗୁଡିଏ ପୁସ୍ତକ ଲେଖିଛନ୍ତି ଅନନ୍ତ କୁମାର ଗିରି । ପ୍ରାଚ୍ୟ ତଥା ପାଶ୍ଚାତ୍ୟ ଦର୍ଶନର ସମନ୍ବୟରେ ବର୍ତ୍ତମାନର ଅନୁଭୂତିକୁ ପାଥେୟ କରି କିପରି ଭାବରେ ଏକ ସୁନ୍ଦର ଭବିଷ୍ୟତ ଗଢ଼ାଯାଇ ପାରିବ ତାହା ତାଙ୍କ ଗବେଷଣାର ନିରବିଛିନ୍ନ କନସର୍ଣ।

ପ୍ରସିଦ୍ଧ କବି ବିଦ୍ୟୁତପ୍ରଭା ଦେବୀ ଓ ଶିକ୍ଷାବିତ ପଞ୍ଚାନନ ମହାନ୍ତିଙ୍କ ସୁଯୋଗ୍ୟ ପୁତ୍ର ସଚିଦାନନ୍ଦ ମହାନ୍ତିଙ୍କୁ ନଚିହ୍ନେ କିଏ? କିନ୍ତୁ ତାଙ୍କଲିଖିତ ପୁସ୍ତକସବୁକୁ ପଢିବା ମଧ୍ୟ ଆବଶ୍ୟକ। ବିଶେଷକରି ଓଡ଼ିଶାରେ ନାରୀ ପ୍ରତିଭାର କ୍ରମବିକାଶ ଓ ଅଧୁନା ସ୍ଥିତି ପ୍ରଣିଧାନଯୋଗ୍ୟ । ବିଭିନ୍ନ ଖବରକାଗଜରେ ମଧ୍ୟ ତାଙ୍କ ଲେଖାର ବିପୁଳ ସମ୍ଭାର

ଅନ୍ୟଜଣେ ଜେପିଦାସ । ତାଙ୍କର ବହିମଧ୍ୟ ଜ୍ଞାନବର୍ଦ୍ଧକ 
https://t.co/otNhoVrg7C
ଦିନଥିଲା ସମ୍ବାଦରେ ଚିତ୍ତଭାଇଙ୍କର ସାପ୍ତାହିକ ସ୍ତମ୍ଭ ପ୍ରକାଶ ପାଉଥିଲା ଓ ବିଶ୍ଵକୁ ଗବାକ୍ଷ ପରେ ପୁସ୍ତକ ଆକାରରେ ମଧ୍ୟ ପ୍ରକାଶିତ ହୋଇଛି । ତାଙ୍କର ପ୍ରସଂଶକ ତ ଅନେକ କିନ୍ତୁ ତାଙ୍କ ଇଙ୍ଗିତକୁ ବୁଝି, ଗାଳିମନ୍ଦ ଖାଇ ସବୁ ହଜମକରି, ପୁଣି ଏକ ସୁହୃଦ ହେବାପାଇଁ ସାମର୍ଥ୍ୟ କେତେଜଣଙ୍କର? ସାହିତ୍ୟ ଓ ଚିନ୍ତାଶୀଳତାର ସେପରି ସମନ୍ବୟ କ୍ଵଚିତ

ସବୁ ଜିନିଷର ସ୍ଥୁଳ, ସୂକ୍ଷ୍ମ, ଓ କାରଣ ଏହି ତିନୋଟି ସ୍ଥିତି ଥାଏ ବୋଲି ସମସ୍ତେ ଜାଣନ୍ତି । ତଥାପି ଅନେକ ସମୟରେ ବାହ୍ୟରୂପରୁ ଦୃଷ୍ଟି ଅପସାରିତ କରିବାକୁ କୁଣ୍ଠା ଦେଖାଯାଇଥାଏ । ଏହା ସ୍ୱାଭାବିକ କିନ୍ତୁ ଶିକ୍ଷାର ସବୁଠୁଁ ବଡଦଗ ହେଉଛି ଆସ୍ବାଭାବିକତା ଆଡ଼କୁ ଅଗ୍ରସର ହେବାର ଏକ ବାଧ୍ୟବାଧକତା ଅଭ୍ୟାସରେ ପକେଇବା । ସେତିକି ହିଁ ଭିକ୍ଷା ।

ଆମେ ସମସ୍ତେ ପରମ୍ପରା ବା ଗତାନୁଗତିକାର ଦାସ। ଅନେକଙ୍କର ଶିକ୍ଷା ବା ବୃତ୍ତିବି ତାରି ମଧ୍ୟରେ ସିମିତ । କିନ୍ତୁ ସେ ଶୃଙ୍ଖଳକୁ ଭାଙ୍ଗି ଏକ ଚଳଚଞ୍ଚଳ ତଥା ସୃଜନାତ୍ମକ ପରିବେଶକୁ ଝାମ୍ପଦେବାର ସାହାସର ନାମ ହିଁ ବିପ୍ଲବ। ସୂକ୍ଷ୍ମ ଉପରେ ଭରସାହିଁ ଏହାର ମୂଳଦୁଆ। କିନ୍ତୁ ଏକ ବେପରୁଆ ଭାବ ପରିବର୍ତ୍ତେ କାରଣକୁ ସ୍ଥାୟୀ ବୋଲି ମାନି ନେଲେ ଭଲ ।

ସେହି ପରମକାରଣ ବା ପରମରସ ଏତେ ରହସ୍ୟପୂର୍ଣ୍ଣ ଯେ ତାର ଖିଏ ମାତ୍ର ତତ୍ତ୍ଵ ଆଜି ପର୍ଯ୍ୟନ୍ତ ଆବିଷ୍କାର କରାଯାଇପାରିଲାନାହିଁ । ତଥାପି ଅନେକେ ଭାବକୁ ନିକଟ ବୋଲି ସାନ୍ତ୍ବନା ପାଆନ୍ତି। ଘନଚେତନାର ଏଇ ଅମାର ଭିତରେ କ'ଣ କିଛି ଅଭାବ ଥିଲା ଯେ ମଣିଷ ମସ୍ତିସ୍କ ଭଳି ଚିନ୍ତାର ଏକ କାରଖାନା ଖୋଲିବାର ଦରକାର ପଡିଲା ବୋଲି ଥୋକେ ପ୍ରଶ୍ନ କରନ୍ତି ।

ନାଚର ଉଦାହରଣ ନିଆଯାଉ । ହାତଟିକୁ ପ୍ରସାରଣ କରାଯିବ ପୁଣି ଫେରେଇ ଅଣାହେବ; ତାପରେ ପୁଣି ଆରହାତ। ଏଇ ପ୍ରସାରଣ ଓ ସଙ୍କୋଚନର ଲଗାତାର ପ୍ରକ୍ରିୟାହିଁ ସୃଷ୍ଟିର ସୂତ୍ର । ବୋଧହୁଏ ପେଣ୍ଡୁଲମର ଦୋଳି ଖେଳିବା ପରି I ତଥାପି ବି କୌଣସି ସଠିକତା ନାହିଁ। ବିଜ୍ଞାନ ମଧ୍ୟ ବିଫଳକାମ। ତେଣୁ ନିଜ ଉପରେ ବିଶ୍ୱାସ ରଖିବା ଏବଂ ଅନ୍ଧଭଳି ନଚାଲିବା ଉଚିତ୍ I

ଏଇଠି ପ୍ରଶ୍ନଉଠିବ ଯେ ଏତେସବୁ ଗହିରିଆ କଥାରେ ମୁଣ୍ଡଖେଳେଇ ଲାଭ କଣ ? ଜୀବନ ସମ୍ବନ୍ଧରେ ଯେମିତି ସମସ୍ତେ ବ୍ୟସ୍ତ ଜୀବନର ସତ୍ୟ କ'ଣ ତା ସଠିକ ଭାବେ ଜାଣିବାକୁ ଚେଷ୍ଟା କରିବା ଆଦୌ ଉଦ୍ଭଟ ନୁହେଁ। ପ୍ରକୃତରେ ଦେଖିବାକୁ ଗଲେ ଏହା ହେଉଛି ଆଲୋକର ସନ୍ଧାନ, ଆନନ୍ଦର ସନ୍ଧାନ, ଅମୃତତ୍ଵର ସନ୍ଧାନ | ଭାରତରେ ବେଦଗ୍ରନ୍ଥ ଏହି ସନ୍ଧାନର ଅମରସାକ୍ଷୀ।

ବେଦ ନାଁ ଶୁଣି ଡରିବାର କୌଣସି କାରଣ ନାହିଁ। ଇନ୍ଦ୍ର ହେଉଛନ୍ତି ପଞ୍ଚଇନ୍ଦ୍ରିୟଙ୍କ ଉପରେ ରାଜା। ତାମାନେ ଇନ୍ଦ୍ର ଅର୍ଥ ମନ । ଗୋ ମାନେ ଆଲୋକ । ଯେମିତି ଗୋଲୋକ, ଗୋମତି ବା ଗବେଷଣା । ବୃତ୍ର ହେଲା ଅଜ୍ଞାନର ସର୍ପ ଯିଏ ଗୋ ମାନଙ୍କୁ ଲୁଚାଇ ରଖିଛି। ଇନ୍ଦ୍ର ବୃତ୍ରକୁ ହତ୍ୟାକରି ଗୋମାନଙ୍କୁ ଉଦ୍ଧାର କରିବେ, ଅର୍ଥାତ ମନ ଜ୍ଞାନକୁ ହାସଲ୍ କରିବ

ଏହି ସାରାଂଶରୁ ସ୍ପଷ୍ଟ ହେବ ଯେ ଜ୍ଞାନ ଆହରଣ ପାଇଁ ଅହରହ ଯୁଦ୍ଧ କରିବାକୁ ପଡିବ। ଆମେ ଇନ୍ଦ୍ର ବା ମନ ସ୍ତରରେ ଅଛୁ, ତା ବି ସମ୍ପୁର୍ଣ୍ଣ ଭାବରେ ନୁହେଁ। ତଳେ ଦେହ ଓ ପ୍ରାଣ ସ୍ତର ମନକୁ ସ୍ଵାଧୀନ ରୂପେ କାମ କରିବାକୁ ଦେଉନାହାନ୍ତି। ସେମିତି ମନର ଉପରେ ମଧ୍ୟ ଚେତନାର ବିଭିନ୍ନ ସ୍ତରକୁ ଆରୋହଣ କରିବାର ଆହ୍ୱାନ #SriAurobindo ସୂଚାଇଛନ୍ତି ।

ହଜାର ବର୍ଷ ଧରି ବେଦକୁ ପୂଜା ପଦ୍ଧତି ମଧ୍ୟରେ ସିମିତ କରିଦିଆଯାଇଥିଲା କିନ୍ତୁ ତାର ସାଙ୍କେତିକ ଅର୍ଥହିଁ ଯଥାର୍ଥ ଆଭିମୁଖ୍ୟ ଦର୍ଶାଇଥାଏ । କୌଣସି ବାହ୍ୟକର୍ମ ବିନା ବେଦର ତାତ୍ପର୍ଯ୍ୟକୁ ହୃଦୟଙ୍ଗମ କରିବା ଓ ଅନ୍ତର ମଧ୍ୟରେ ଚେତନାର ସୋପାନକୁ ଆରୋହଣ କରିବା ପାଇଁ ଆସ୍ପୃହା ରଖିବାହିଁ ହେଲା ବେଦସାଧନା । ଏପରିକି କେବଳ ସ୍ମରଣମଧ୍ୟ ଉପାଦେୟ ।

ରୁଟି ଆଉ ଚାନ୍ଦ କୁଆ ଓ କପୋତ
ଆଙ୍ଗୁଠି କି ଜହ୍ନ ବୀର ଅବା ପଶୁ
କେବେ ନୀଳବର୍ଣ୍ଣ କେବେ ଗେରୁବସ୍ତ୍ର
ମୟୂରର ପୁଛ ସୁନାର ମିରିଗ

ମନୁଆ ପାଣୁଆ ଓଧ ବଣଭୂଆ
ଦିହଟିତ ଗଧ ବୁଲୁଛନ୍ତି ଭୁଆଁ
ଶୋଷେ ତଣ୍ଟି ଅଠା ମୂଷାଙ୍କ ଦଉଡ
ତଣ୍ଟିକଟା ବିଦ୍ୟା ଘୋଡାଙ୍କ ଦଉଡ

ସାପସିଡି ଖେଳ ଝାଳନାଳ ହୋଇ
ସୁଗନ୍ଧରେ ବାଇ ଅଥା ଧାଇଁ ଧାଇଁ
ପାଶୋରା ଠିକଣା ଖୋଜି ବାଟବଣା

ଅର୍ଥମାନେ ପରିଭାଷା ସରଳୀକରଣ
ଅପରିଚିତ ସହିତ ଆଦାନପ୍ରଦାନ
ସମ୍ପତ୍ତିଭ ରାସିନ୍ଦୁକ ଖୋଲିବା ପ୍ରୟାସ
ବିଦେଶୀ ପରିବା ସ୍ଵାଦ ଚାଖିବା ଅଭ୍ୟାସ

ଅର୍ଥମାନେ ଅନୁବାଦ ଶବ୍ଦଜାଲ ବୁଣା
ନବବସ୍ତ୍ର ପରିହିତା ନବବଧୂ ଅଣା
ଆଦ୍ୟପ୍ରାନ୍ତ ବିମିଶ୍ରିତ ଭିନ୍ନ ଏକସ୍ଵର
ଚିତ୍ରପଟ ତୋଳେ ଯେହ୍ନେ ଛବି ନାୟିକାର

ଅର୍ଥମାନେ ଇତିହାସ ଠାରୁ ଅନାଗତ
ନିଅଣ୍ଟ ପଡନ୍ତି ସହୃଦୟତ ଜାଗ୍ରତ

ଅର୍ଥମାନେ ପିଲାଦିନ କିତିକିତି ଖେଳ
ଦୂରନ୍ତ ଦିଗନ୍ତ ଛୁଇଁବାର ଅଟକଳ
ଅଭିସାରିକା ଭାବରେ ଭାବ ଲୁଚକାଳି
ଜିତିବାକୁ ହେବ ତାକୁ ଖେଳି ବୋହୂଚୋରି

ଅର୍ଥମାନେ ଭାଙ୍ଗି ଗଢିବାର ଅଧିକାର
ସନ୍ତୁଳିତ ତୂଳିଭଳି ଚିତ୍ର ଆଙ୍କିବାର
ଖୋଜିବାକୁ ଅହରହ କବିର ଚଞ୍ଚକ
ଅସୀମର ପଥେ ପଠାଇବାକୁ ପାଠକ

ଅର୍ଥମାନେ ଅଙ୍ଗୀକାର ଅର୍ଦ୍ଧ ଇଙ୍ଗିତକୁ
ଅନନ୍ତ ସୃଜନଶୀଳ ପ୍ରପଞ୍ଚ ବ୍ୟାଖ୍ୟାକୁ

ସକଳ ସକାଳ ଆଲୋକ ବିକଳ
ସରସ ସୁନ୍ଦର ଗଛରବକ୍କଳ
ଭିତରରମିଛ ସବୁକରିପଛ
ଆଜିରଆସ୍ପୃହା ସବୁକିଛିସ୍ୱଚ୍ଛ

ପକ୍ଷୀଙ୍କରକଳ ଜନକୋଳାହଳ
ଭାବକୁନିକଟ ଭାଷାହଳାହଳ
ଖୋଜିବାରନିଶା ଅଙ୍କୁରେ ପ୍ରତ୍ୟାଶା
ଆଶାରସଞ୍ଚୟ ମନବିନିମୟ

କାମନା ସୀମାନ୍ତ ଅଭିଳାଷଅନ୍ତ
ବିଶଦବର୍ଣ୍ଣନା ହୁଏତ ବିଷଦ
ସୁନ୍ଦରତା ତେଣୁ ସଂକ୍ଷିପ୍ତ ସୀମିତ
ସମଗ୍ର ସିନ୍ଧୁତ ବିନ୍ଦୁରେ ବନ୍ଧିତ

ପ୍ରଥମ କଥା ହେଲା ଗହଳି ଏତେ ଯେ ତା ଭିତରେ ଧୁଆମୂଳା ଅଧୁଆମୂଳା ସବୁ ସମାନ ଭଳି ଜଣାପଡନ୍ତି । କିନ୍ତୁ ସେଇଠି ତ ଅସଲି ପରୀକ୍ଷା । ସେଥିରେ ମୋର କ'ଣ ଯାଏ ଆସେ ଅଛି, ଇଏ ହେଲା ଆଉ ଗୋଟିଏ ବେମାରି । କିରେ, କାହାର ଯଦି କୋଉଥିରେ କିଛି ଦବାର ବା ନବାର ନଥାନ୍ତା ତାହେଲେ ନବେ ଭାଗ ଲୋକ ମେଣ୍ଢାପଲ ପରି କାହାନାକାହା ପଛରେ ଗୋଡ଼େଇଛନ୍ତି କାହିଁକି? https://t.co/XBRRy3mw6l

ଗୁଣଚିହ୍ନେ ଗୁଣିଆ ବା ଯେପକ୍ଷୀ ଉଡ଼େ ଯେତେଦୂର ଏସବୁ କଥା ତ ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ କାର୍ଯ୍ୟରେ ପରିଣତ କରିବାର ଇଛା ବା ସାମର୍ଥ୍ୟ କମ୍ । କଥାଟା ଯଦି ବ୍ୟକ୍ତିଗତ ହେଇଥାନ୍ତା ତାହେଲେ କାହାର କିଛି କହିବାର ନଥିଲା। କିନ୍ତୁ ଶୋଇଲାପୁଅର ଭାଗ ନାହିଁ ଭଳି ପୁରାଜାତି ଶୋଇରହିବାଟା ଏକ ସାମୂହିକ ବିପର୍ଯ୍ୟୟ । ତେଣୁ ସଚେତନତା ଆବଶ୍ୟକ।

ଦାନାରତୋବଡା ଯେ ମୁହଁରେ ବନ୍ଧା ରହିବନାହିଁ ଏକଥା ଆଶାକରିବା ବୃଥା। ସ୍ୱାର୍ଥ ନିଶ୍ଚୟରହିବ କିନ୍ତୁ ଆକର୍ଷଣ ଏକ ଉଚ୍ଚତରବଳୟର ଥିବ I ସ୍ଵାର୍ଥରଦୁଇଟିଭାଗ ସ୍ବ ଏବଂ ଅର୍ଥ; ସ୍ବ ତ ସହଜଜିନିଷ ନୁହେଁ, ଶରୀରରୁ ବିଶ୍ଵ ପୁଣି ସ୍ୱର୍ଗଯାଏ ନିଶୁଣି ଲମ୍ବିଛି । ସେମିତି ଅର୍ଥ ହେଲା ଟଙ୍କାଠାରୁ ସବୁ ଅଙ୍କାବଙ୍କା ରାସ୍ତାଦେଇ ଅବାକ୍ ବା ତଟସ୍ଥ ଯାଏ।

ଚବିସ ଗୁରୁବି ଯଥେଷ୍ଟ ନୁହଁନ୍ତି ଯଦି ବୁଦ୍ଧିରେ ଚର୍ବି ବାନ୍ଧି ଯାଏ। ଦିନେ ନ ଖାଇଲେ କ'ଣ କିଏ ମରିଯିବ? ନାଁ କିନ୍ତୁ ଗୋଟାଏ ଶୃଙ୍ଖଳାର ଅବଦାନ ବହୁତ। ସେଇଥିପାଇଁ ପ୍ରତିଦିନ କିଛି ପଢିବାର ଆବଶ୍ୟକତା, ଖାଲି ପାରାୟଣ ନୁହେଁ। ହେଲେ କ'ଣ ପଢିବା? ଯାହା ନିଜର ଇଛା ବା ଯୋଉଟା ଭଲ ଲାଗିବ I ନାଁ ରୋଗୀ ନିଜେ ତାର ଔଷଧ ସ୍ଥିର କରିବା କ'ଣ ସଙ୍ଗତ?

ବଙ୍ଗଳାଭାଷା ସହିତ ତ ଅଳ୍ପେବହୁତେ ପରିଚୟ ରହିଛି କିନ୍ତୁ ତେଲୁଗୁ ଆମର ପଡୋଶୀ ହୋଇଥିବା ସତ୍ତ୍ୱେ ମଧ୍ୟ ତାଙ୍କର କୌଣସି ଗୋଟିଏ ଗୀତରୁ ଟିକିଏବି କିଛି ବୁଝିନହେବା ବଡ କଷ୍ଟଦାୟୀ । ଏଇ ପ୍ରାଚୀରଟି ଯେ ଜୀବନରେ ପାର କରିହେବ ନାହିଁ ଏହା ଏକ ଶୋଚନାର ଉତ୍ସ । ଦକ୍ଷିଣର ପଞ୍ଚୋଟିଯାକ ଭାଷା କେଡେ ଋଦ୍ଧିମନ୍ତ ଅଥଚ ବେଲପାଚିଲେ କାଉର କିବା ଯାଏ ଆସେ? https://t.co/I43PmDN1iA

"ମୁଁ ତାଙ୍କ ସହିତ କଥା ହେଉଥିଲି" ଏଇଟା ଠିକ୍ ଓଡ଼ିଆ ନୁହେଁ ବୋଲି ତ ମୁଁ ଆଗରୁ କହିଛି। ସେମିତିଆ "ଆମେ ସମସ୍ତେ ଯେଉଁମାନେ ଏଠାକୁ ଆସିଛନ୍ତି" ସେଇଟା ମଧ୍ୟ ଭୁଲ । ଆସିଛୁ ଯାଗାରେ ଆସିଛନ୍ତି କିନ୍ତୁ ବେଶ୍ ପ୍ରଚଳିତ ହୋଇଗଲାଣି। ତାଛଡା, ପ୍ରେମଗୀତ ମାନଙ୍କରେ ତୁମେ ପ୍ରାୟ ଲୋପପାଇଯିବା ଓ ତୁ ହିଁ ଆତ୍ମୀୟତାର ଯଥାର୍ଥ ପରିଚାୟକ ହେବା ଦୁଃଖଦ।

ଭାଷାର କେତେ ପରିବର୍ତ୍ତନ ଘଟୁଛି ତା ତ ମାପିବା କଷ୍ଟ କିନ୍ତୁ ଓଡ଼ିଆ ଯେ ମୂଳପୋଛ ହୋଇଯିବ ତା ମିଛ। ହେଲେ ଏହା ଯେ କେବଳ ଓଡ଼ିଶା ଭିତରେ ସୀମିତ ରହିବ ସେ କଥା ନୁହେଁ। ଯିଏ ଯେଉଁଠି ଅଛି ସେ ସେହି ଅନୁସାରେ ଭାଷାର ସେବା କରିବେ। ମିଶ୍ରଣ ତ ରୋକି ହବନି ତଥାପି ଷାଠିଏଦଶକର ସିନେମାଗୁଡ଼ିକର ଭାଷାକୁ ଏକ ମାପକାଠି ଭାବରେ ରଖିବା ମହତ୍ୱପୁର୍ଣ୍ଣ ।

ବିକାଶ ଦାସଙ୍କ ନିଜକଥା ଶୁଣିଲି। ବହୁତ ଶିକ୍ଷାପ୍ରଦ ଓ ବିଶେଷଭାବରେ ସେ ମୋର ସମସାମୟିକ ହୋଇଥିବା ଯୋଗୁ ଏକପ୍ରକାର ଚମକପ୍ରଦ। ଶିଖିବା ପାଇଁ କେତେକଷ୍ଟ କରିଛନ୍ତି ସେ। ମୁଁ ଅବଶ୍ୟ ତାଙ୍କ ଗୀତ ବେଶୀ ଶୁଣିନାହିଁ କିନ୍ତୁ ଏବେ ଚେଷ୍ଟାକରିବି। ଜଣେ ସ୍ରଷ୍ଟାଭାବରେ ତାଙ୍କ ଦାମ୍ଭିକତାପାଇଁ ତାଙ୍କୁ ଅନେକ ଶୁଭେଚ୍ଛା ।
https://t.co/KdMs4gUSsP

ଏକଦା ପ୍ରଣବ ପଟ୍ଟନାୟକଙ୍କର ସବୁଠୁଁବେଶୀ ଲୋକପ୍ରିୟ ରେଡିଓଗୀତଟି ଆଜିକିନ୍ତୁ ଶୁଣିବାକୁମିଳୁନି | ଏହିଗୀତଟିକୁ ତାଙ୍କକଣ୍ଠରେ ଶୁଣିବା ତଥା ସାଇତିରଖିବା ନିମନ୍ତେ କେହିଟିକେ ଚେଷ୍ଟାକରିବାର ଆବଶ୍ୟକତା ନିଶ୍ଚୟ ରହିଛି | ତାଛଡା, ଏହିଗୀତଟିର ଲିରିକ୍ସମଧ୍ୟ ବେଶ୍ ଚମତ୍କାର
"ଏଇ ସାତରଙ୍ଗ ମିନାକରା ଆକାଶର ମୁଦିରେ"
https://t.co/r2GEWx5A9h

ଆମସମସ୍ତଙ୍କର ଓଡ଼ିଆପ୍ରୀତିତ ନିଶ୍ଚୟରହିଛି କିନ୍ତୁ ରାଜନୀତି ବା ଅନ୍ୟାନ୍ୟ ମନଫଟାଫଟିର ଉର୍ଦ୍ଧ୍ୟକୁଉଠି ଯଦି କିଛି ଅଳ୍ପକେତୋଟି ଛୋଟଦିଗରେ କାର୍ଯ୍ୟ କରାଯାଇପାରନ୍ତା, ତେବେ ବହୁତ ବଡକଥା ହୁଅନ୍ତା । ଯେମିତିକି, ଓଡ଼ିଆରେ ବିଭିନ୍ନ ଖବରକାଗଜରେ ଶିଳ୍ପୀ ଓ କଳାକାରମାନଙ୍କ ସମ୍ବନ୍ଧରେ ପ୍ରକାଶିତ ହେଉଥିବା ଲେଖାସବୁର ଇଂରାଜୀଅନୁବାଦ କରିବା ।

ଭାରତରେ ଏକ ମୁଖ୍ୟ ସମସ୍ୟା ହେଉଛି, ବିଦ୍ୟାଳୟ ଛାଡିବା ପରେ ଲୋକମାନେ କ୍ରମାଗତ ଭାବରେ ଓଜନ କରିବାକୁ ଚେଷ୍ଟା କରନ୍ତି ଯେ ଇତିହାସର ହିରୋମାନଙ୍କ ମଧ୍ୟରେ କିଏ ଭଲ ବା ବଡ଼ | ଏହା ସହଜ କାର୍ଯ୍ୟ ନୁହେଁ କାରଣ ଲୋକଙ୍କ ଦୃଷ୍ଟିକୋଣ ଅଞ୍ଚଳ, ଧର୍ମ, କିମ୍ବା ରାଜନୀତି ଉପରେ ଆଧାରିତ | ଶ୍ରୀଅରବିନ୍ଦଙ୍କ ଲେଖାଗୁଡ଼ିକ ଆବଶ୍ୟକୀୟ ମାର୍ଗଦର୍ଶନ କରେ |

ଜୀବନସଙ୍ଗ୍ରାମ କଥାତ ଛାଡ
ପାଣିପାଗସହିତ ଯୁଦ୍ଧକରିବାହିଁ ସବୁଠୁଁ ଦୁରୂହବ୍ୟାପାର
ଆଜିଖରାତ କାଲିମେଘୁଆ
କେତେବେଳେ କୁହୁଡ଼ିଆ ଅବା ଆଉକେତେବେଳେ ଧୂଳିଆ
ଏମିତି ବାରମାସଯାକ ପ୍ରତିଦିନର ଖେଳ ନୂଆନୂଆ
ପତଳାଚଦରଖଣ୍ଡେବି କେତେବେଳେ ଗରମଲାଗିବ
ଆଉକେତେବେଳେ ଫ୍ୟାନବନ୍ଦ୍ କରିବାକୁ ରାତିରେନିଦଭାଙ୍ଗିଯିବ
ଏଇସବୁହିଁହେଲା ନିତିଦିନିଆ ପାଲା
[୧୮୧୧୨୦]

Sunday, November 01, 2020

Savitri is the ambassadress